Unknown

 

 

 

 

 

 

 

 

 

 

 

ହଂସ ମିଳନ ଓ ପାଷଣ୍ଡ ଦଳନ

ଶ୍ରୀ ଅଭିରାମ ପରମହଂସ ଦେବ

 

ସୂଚୀପତ୍ର

 

୧.

ହଂସ ମିଳନ–

 

 

ଅତି ସ୍ନେହ କରି ହଂସ ପକ୍ଷୀଟିଏ ପାଳିଥିଲି ଯତ୍ନ କରି

 

 

ଦୂତିକା କରଇ ସ୍ତୁତି ଶ୍ରୀ ରାଧାପତି

 

 

ଶ୍ରୀକୃଷ୍ଣ କହନ୍ତି ଶୁଣଆଗୋ ଦୂତୀ ମୋହର ଆତଙ୍କ ଜାଣିତୁହି

 

 

ଦୂତୀ କୋଳରେ ଧରି ମୋହନ କହନ୍ତି ଶୁଣ ମୋ ପ୍ରାଣଧନ

 

 

ଥାଅ ମୁରଲୀ ବଦନ ହେ ! ଯାଉଛି ଶ୍ରୀମତୀ ପାଶ ।

 

 

ଚନ୍ଦ୍ରଶାଳା ପୁରେ ଯାଇ ପ୍ରବେଶିଲେ ଦୂତୀ

 

 

କୋଳରେ ଧରିଣ ଶ୍ରୀମତୀଙ୍କି ଦୂତୀ କହନ୍ତି ଗୋ ଚନ୍ଦ୍ରମୁଖୀ

 

 

ଜୀବ ପ୍ରେମ ହଂସ ମିଳନ ଏହା ଜାଣିବେ ବୁଧ

 

 

ଶୁଭେ ବରପାଇ ଦୂତୀ, କହନ୍ତି ଆଗୋ ଶ୍ରୀମତୀ !

 

 

ନକ୍ତକାଳ ଆସି ହୋଇଲା ପ୍ରବେଶ

 

 

ଏ ହଂସ ମିଳନ ବୁଧଙ୍କର ମନ ନିଶ୍ଚୟ ହୋଇବ ମୁଗ୍ଧ

 

 

ଆହେ ଶ୍ରୀହରି ଭକତେ ହୋ ! ହଜିଥିଲା ମୋର ହଂସ

୨.

ପାଷଣ୍ଡ ଦଳନ—

 

 

କାହିଁ ପାଇଁ ମନ ହୋଇଥିଲୁ ଜନ୍ମ କହ କି କରିଛୁ ଭାଇ

Image

 

 

 

 

 

 

 

 

ଶ୍ରୀ ଅଭିନ୍ନ ସୁନ୍ଦର ଜୟତି

ଶ୍ରୀ ଗୁରୁ ଗାୟତ୍ରୀ

 

ଓଁ କ୍ଳୀଁ ଗୁରୁଦେବାୟ ବିଦ୍ମହେ ପ୍ରେମଦାତାୟୈ ଧୀମହି

ତନ୍ନୋଗୁରୁ ପ୍ରଚୋଦୟା ।

ଓଁ କ୍ଳୀଁ ଗୁରୁଦେବାୟ ପ୍ରେମଦାତାୟୈ ନମଃ

Image

 

ପ୍ରଥମ ଛାନ୍ଦ

 

ଅତି ସ୍ନେହ କରି ହଂସ ପକ୍ଷୀଟିଏ

ପାଳିଥିଲି ଯତ୍ନ କରି ।

ସେହି ହଂସ ଏବେ କେଣେ ଉଡ଼ିଗଲା

ଖାଲି ହୋଇଛି ପିଞ୍ଜରୀ ।।

ସେ ହଂସ ଅଟେ ବଡ ବଳବାନ,

ଧରୁ ଧରୁ ଉଡ଼େ ବାର ଯୋଜନ;

ମୋହର ମନ ସରୋବରେ ହଂସ,

ଖେଳୁଥାଇ ସଦା ହୋଇ ସନ୍ତୋଷ;

କେଣେ ଗଲା ମୋତେ ଅନାଥ କରି,

ତା’ ବିନୁ ପ୍ରାଣ ନ ରହେ ମୋହରି ।୧।

 

ହରି ଭକତଙ୍କୁ ଜଣାଉଛି ମୁହିଁ

ମୋ’ର ନିବେଦନ ଶୁଣ ।

ପୋଷା ହଂସ ମୋ’ର ଯିଏ ଧରି ଦେବ

ତା’ର ପାଦରେ ଶରଣ ।।

ଯିଏ ଧରିଥିବ ମୋର ହଂସକୁ,

ମୋହର ଆଶ୍ରିତ ତା’ର ପାଦକୁ;

ହଂସର ମୂଲ୍ୟ ଯେତେ ଧନ ନିଅ,

ଅଧମ ହସ୍ତରେ ହଂସକୁ ଦିଅ;

ହଂସ-ଧରା ଶୁଣ ମୋ’ର ଗୁହାରୀ,

ଯା’ ମାଗିବ ଦେବି ସତ୍ୟ ମୋହରି ।୨।

 

କହିଲେ ତୁମ୍ଭଙ୍କୁ ବିକ୍ରି ହୋଇଯିବି

ଏଥି ପରେ କଥା ନାହିଁ ।

ଏଥି ପରେ ଆଉ କଥା ରହିଥିଲେ

ହଂସ ଆଉ ନେବି ନାହିଁ ।।

ହରି ଭକ୍ତମାନେ ଦୟା-ସାଗର,

ବିନା ମୂଲ୍ୟେ ଦେବେ ହଂସକୁ ମୋ’ର;

ହରି ଭକ୍ତେ ଜାଣନ୍ତି ହଂସ ଧରି,

ଏଣୁ କି ଅପୂର୍ବ ଅଛି ତାଙ୍କରି;

ଇନ୍ଦ୍ର ପଦେ ନ ଥାନ୍ତି ଆଶା କରି

ସ୍ଵର୍ଗ ନର୍କ ଯେଣୁ ସମାନ କରି ।୩।

 

ଏଣୁ ବିନା ମୂଲ୍ୟେ ହଂସକୁ ମୋହର

ଦେଇ ପାରନ୍ତି ଭକତ ।

ଏ ଘେନୁ ଭକ୍ତଙ୍କୁ ମାଗୁଅଛି ମୁହିଁ

ଦିଅ ନାରାୟଣ ମିତ୍ର ।।

ହରି-ଅଭକ୍ତଙ୍କୁ ମୁଁ ନ ମାଗଇ,

ହଂସକୁ ସେମାନେ ଧରିବେ କାହିଁ ?

ଧରୁ ଧରୁ ଉଦର ଯିବ ଫାଟି,

ଚୌରାଶି ଅଙ୍ଗୁଳ ହୋଇବ ନଷ୍ଟି;

ଏଣୁ ଭକ୍ତେ ଦିଅ ହଂସ ମୋହରି,

କେତେ ଗୁଣ ମୁଁ କହିବି ତାହାରି ।୪।

 

ପୂରକ ରେଚକ କୁମ୍ଭକ ସୂତ୍ରରେ

ହଂସକୁ ଯେବେ ଧରଇ ।

କିଛି କ୍ଷଣ ମୋ’ର ହସ୍ତରେ ରହିଣ

ଧରୁ ଧରୁ ଉଡ଼ି ଯାଇ ।।

କିପରି ହଂସକୁ ଧରିବି ମୁହିଁ,

କିଏ ଜାଣିଅଛ ଦିଅ ବତାଇ;

ପୂରକ ରେଚକ କୁମ୍ଭକେ ନାହିଁ,

ଯେପରି ଅଳପ ସୂକ୍ଷ୍ମରେ ଥାଇ;

ଷାଠିଏ ଦଣ୍ଡରେ ଗତି ତାଙ୍କରି,

ଦି’ ଅୟୁତ ଷୋଳ ଶତରେ ଭରି ।୫।

 

କ୍ଷୀର ନୀର ଦୁଇ ମିଶାଇଣ ଦେଲେ

ହଂସ ଦିଏ ଭିନ୍ନ କରି ।

ନୀରକୁ ଛାଡ଼ିଣ କ୍ଷୀର ଖାଇଥାଏ

କି ମନ୍ତ୍ର ଥଣ୍ଟେ ତାହାରି ।।

ହଂସର ମହିମା ଅଟେ ଅଶେଷ,

ଯୁଗଳ ମୂରତି ହୋଇଛି ହଂସ,

ସ-କାର ଶିରୀ ଯେ, ହ-କାର ହରି ,

ଦିନେ ଦେଖିଥିଲି ନୟନ ଭରି,

ହ କାର ଥିଲା ମୁରଲୀ ଧରି,

ସ-କାର ଅଧରୁ ଅମୃତ ଝରି ।୬।

 

ମଧୁ ଲୋଭରେ ବେଷ୍ଟିତ ହୋଇ କରି

ଚୁମ୍ବୁ ଥିଲେ ବିମ୍ବାଧର ।।

ତେରଛ ନେତ୍ରରେ ଚାହିଁଣ ହ’କାର

ହୋଇଣ ଗଲେ ଅନ୍ତର ।

ବାହାରରେ ଯଦି ଥାଆନ୍ତି ହରି,

ଭିତରେଣ ରହିଥାନ୍ତି କିଶୋରୀ,

ବାହାରେଣ ଯଦି ଥା’ନ୍ତି ଶ୍ରୀମତୀ,

ଭିତରେ ଯାଆନ୍ତି ଭକ୍ତ ସମ୍ପତ୍ତି;

ଭେଟ ନୁହନ୍ତି କିଶୋର କିଶୋରୀ,

ବୃଥାରେ ଯାଉଛି ଜନ୍ମ ମୋହରି ।୭।

 

ଦୂତୀ ସହଚରୀ ହଂସ ଧରାଇବ

ଆଉ କେ ପାରିବ ନାହିଁ ।

ଆସ ଗୋ ଦୂତିକା ! କେଣେ ରହିଅଛୁ

ତୋତେ ମୁଁ ରହିଛି ଚାହିଁ ।।

ଆସ ଗୋ ଦୂତିକା ! ଚଞ୍ଚଳ ଆସ,

ଯୁଗଳ କରାଅ ଶ୍ରୀ ରାଧାକୃଷ୍ଣ;

ଆସ ଗୋ ଦୂତିକା ! ଆସ ଚଞ୍ଚଳ,

ଶ୍ରୀମତୀ କୁଞ୍ଜରେ କର ଯୁଗଳ;

ଅଭିରାମର ଦେଖିଣ ଆରତି,

ମନ୍ଦେ ମନ୍ଦେ ହସି ଆସନ୍ତି ଦୂତୀ,

ଉଜେ ଡାକିଣ କିଶୋର କିଶୋରୀ,

ମିଳନ ଶକ୍ତିକି ହୃଦରେ ଧରି ।୮।

Image

 

ଦ୍ୱିତୀୟ ଛାନ୍ଦ

 

ଦୂତିକା କରଇ ସ୍ତୁତି ଶ୍ରୀ ରାଧାପତି

ଶ୍ରୀରାଧା ରମଣ ସିନା ମୋର ସମ୍ପତ୍ତି ।ପଦ।

 

ରାଧା ମାଧବ ମଙ୍ଗଳ ହେଲେ ମୋ ସର୍ବ ମଙ୍ଗଳ

ରାଧା-ମାଧବ ମିଳନେ ଜନ୍ମିଛି ଦୂତୀ ।୧।

 

ପ୍ରଫୁଲ୍ଲ ଚନ୍ଦ୍ର ବଦନ କିମ୍ପା ଦିଶଇ ମଳିନ

ଲକ୍ଷ୍ମୀ ଯା’ ରମଣୀ ତୋତେ କିସ ଅପ୍ରାପ୍ତି ।୨।

 

ଏ ଯେଉଁ ମୁଖ ଦର୍ହାସ କିମ୍ପା ଦିଶଇ ବିରସ

ପ୍ରେମେ ଭୁଲାଇଛି କି କେବଣ ଯୁବତୀ ।୩।

 

ଯାହା କହିବ ହେ ଶ୍ୟାମ ! ପୂରାଇବି ମନସ୍କାମ

କରକୁ ଯୋଡ଼ିଣ ଦୂତୀ କରେ ବିନତି ।୪।

 

କହେ ଅଭରାମ ବାଇ ଦୂତୀ ସହଚରୀ ମୁହିଁ

ଶୁଭେ ମିଳନ କରିବି କୃଷ୍ଣ ଶ୍ରୀମତୀ ।୫।

Image

 

ତୃତୀୟ ଛାନ୍ଦ

 

ଶ୍ରୀକୃଷ୍ଣ କହନ୍ତି ଶୁଣ ଆଗୋ ଦୂତୀ !

ମୋହର ଆତଙ୍କ ଜାଣି ତୁହି ।

ଆସିଅଛୁ ଦୂତୀ ଘେନ ମୋ ବିନତି

ଶ୍ରୀରାଧାଙ୍କୁ ଦୁଃଖ କହ ଯାଇଁ ।।

ଆଗୋ ପ୍ରିୟା ଦୂତୀ ! ରାଧା ଚୋରିକଲେ ମୋର ମତି ।

ମୋହର ପ୍ରେମର ବିକୃତି ରୂପିଣା

ଆହ୍ଳାଦିନୀ ଶକ୍ତି ଶିରୀମତୀ ।୧।

ରାଧାଙ୍କ ପ୍ରଣୟ ମାହାତ୍ମ୍ୟ କିପରି,

ଏହି ଭାବେ ହୋଇଅଛି ରଙ୍କ ।

ଶ୍ରୀରାଧା ପ୍ରଣୟ ଶ୍ରୀରାଧା ପ୍ରଣୟ

ଭାବି ଛାଡ଼ିଲିଣି ସବ ସୁଖ ।।

ଆଗୋ ପ୍ରିୟ ଦୂତୀ ! କିପରି ରାଧାଙ୍କ ପ୍ରେମ ଗତି ।

ପ୍ରେମ-ଆସ୍ଵାଦନ ଯାହା କରେ ରାଧା,

ସେ ମାଧୁର୍ଯ୍ୟାତିଶୟ କେତେ ଶକ୍ତି ।୨।

ଆଉ ଏକ ଭାବ ରାଧାଙ୍କ ରହିଛି,

କହିବି ମୁଁ ତାହା ପ୍ରତି ପ୍ରତି ।

ମୋତେ ଲଭିବାକୁ ଯେଉଁ ସୁଖ ତା’ର

ଉଦୟ ହୁଅଇ ଦିନ ରାତି ।

ଆଗୋ ପ୍ରିୟ ଦୂତୀ ! ସେ ଭାବେ ବଳିଛି ମୋ’ର ମତି ।।

ଏହି ତିନି ଭାବ ଯା’ର ଉଦେ ହେବ

ତପସ୍ୟା କିମ୍ପା କରିବେ ଯତି ।୩।

ରାଧା ରାଧା ବୋଲି ବାଇଆ ମୁଁ ହେଲି

କାହିଁ ରହିଅଛନ୍ତି କିଶୋରୀ ।

କିଶୋରୀଙ୍କି ସ୍ମରି ସ୍ମର ଦଣ୍ଡଧାରୀ

ପ୍ରେମେ ମାରିଲାଣି ଲକ୍ଷ୍ୟ କରି ।।

କାମ ନ ଥାଇଣ, ପ୍ରେମ ବିନ୍ଧିଲାଣି ପଞ୍ଚ ବାଣ ।

ରାଧା-ଭାବ ପ୍ରେମ ମଣୁଅଛି ଶ୍ୟାମ

ଏତିକି ଦୂତିକି ମୋ ଜଣାଣ ।୪।

ଶୁଣ ଆଗୋ ଦୂତୀ ! ରାଧା-ଭାବ କାନ୍ତି

ଦେଖିବ କି ସତେ ମୋ ନୟନ ।

ରାଧା ରାଧା ବୋଲି କହି ମୋହ ଗଲେ

କାଶ୍ୟପୀରେ କରିଲେ ଶୟନ ।।

କହେ ଅଭିରାମ, କିପାଇଁ ଅଧର୍ଯ୍ୟ ହୁଅ ଶ୍ୟାମ ।

କୋଳରେ ଧରିଣ କହନ୍ତି ଦୂତିକା

ନିଶ୍ଚେ ପରାଇବି ମନସ୍କାମ ।୫।

Image

 

ଚତୁର୍ଥ ଛାନ୍ଦ

 

ଦୂତୀ, କୋଳରେ ଧରି ମୋହନ,

କହନ୍ତି ଶୁଣ ମୋ ପ୍ରାଣ ଧନ !

ଉଡ଼ା ବୁଡ଼ା ଚଳ ଅଚଳ ସହିତେ

ଯାହାର ହୋଇଅଛନ୍ତି ଅଧୀନ,

ହେ ରାଧାନାଥ ! ଅପୂର୍ବ ତୋତେ କେଉଁ ପଦାର୍ଥ ।

ରାଧାର ଭାବରେ ଭୂତଳେ ଶୟନ

ଏବେ ମୋ କୋଳ ହେଲା କୁତାର୍ଥ ।୧।

ଦୂତୀ ନେତ୍ର କରି ଥନ ଥନ,

ରଙ୍ଗ ଅଧରେ ଦିଏ ଚୁମ୍ବନ

ବରଜ ଧୂଳିଆ ମୟୂର ଚୂଳିଆ

ତୁ ଜାଣୁ ଜଗତ ଜନ ମନ,

ହେ ଶ୍ୟାମଘନ ! ଶ୍ରୀମତୀ ଚାତକ ତୁମ୍ଭେ ଘନ ।

ଘନ ନ ବର୍ଷିଲେ ଚାତକ କି କରେ

ଚାତକ କରିଛି ଘନେ ଧ୍ୟାନ ।୨।

ଚନ୍ଦ୍ରଶାଳା ପୁରେ ଦିନେ ଗଲି ,

ଗବାକ୍ଷ ରନ୍ଦ୍ରରେ ଚାହିଁଥିଲି ।

କୃଷ୍ଣ ବର୍ଣ୍ଣ ଦ୍ରବ୍ୟ ହୃଦରେ ଲଦିଣ

ପ୍ରେମ ହୁଏ ରାଧା କୃଷ୍ଣ ବୋଲି,

ଗୋ ଭଗହତୀ ! ସତେ ଆସିବ କି ମୋର ଦୂତୀ !

ବ୍ରଜ ସୁନ୍ଦରଙ୍କୁ ମୋତେ ଆଣିଦେବ

ବୋଲି ଉଚ୍ଚେ ଡାକନ୍ତି ଶ୍ରୀମତୀ ।୩।

ଏହି ସମୟେ ମୁଁ କୃଷ୍ଣ ବୋଲି,

କହି ଗବାକ୍ଷ ତଳେ ଲୁଚିଲି

ତୋ ନାମ ଶ୍ରବଣେ ରାଧା ପ୍ରେମ ଦେଖି

ଦେହ ସଂସାର ମୁଁ ଭୁଲିଗଲି

ହେ ରାଧାନାଥ ! ରାଧା ଚାତକ ତୁ ଘନ ବତ ।

କହେ ଅଭିରାମ ଶ୍ରୀମତୀ କୁଞ୍ଜରେ

ପୂର୍ଣ୍ଣ ହେବ କୃଷ୍ଣ ମନୋରଥ ।୪।

Image

 

ପଞ୍ଚମ ଛାନ୍ଦ

 

ଥାଅ ମୁରଲୀ ବଦନ ହେ ଯାଉଛି ଶ୍ରୀମତି ପାଶ ।

ନକ୍ତ କାଳ ବାରି ଶ୍ରୀମତୀ କୁଞ୍ଜରେ

ମିଳିବ ଗମ୍ଭୀର-ହାସ ।ପାଦ।

ରାଧା ମାଧବଙ୍କୁ ଯୁଗଳ କରିବା

ଯାଏଁ ନାହିଁ ମୋ’ର ବାସ ।

ଅଠଚାଳିଶି ଦଣ୍ଡ ଅନ୍ତେଣ ତୁମ୍ଭେ

କୁଞ୍ଜେ ହୋଇବ ପ୍ରବେଶ ।୧।

କୋଟି-ଇନ୍ଦୁ-ଜିତ ମୁଖକୁ ଏ ଦୂତୀ

ସଦା କରିଅଛି ଆଶ ।

କିଶୋର କିଶୋରୀ ଏକ କରାଇଣ

ହୋଇବ ସଦା ସନ୍ତୋଷ ।୨।

କିଶୋରଙ୍କୁ ସ୍ମରି ଦୂତୀ ସହଚରୀ

ତଳେ ହୋଇ ହସହସ ।

କହେ ଅଭିରାମ ଜୀବ ପରମରେ

ଏକ ଭକ୍ତେ ଭାବି ପଶ ।୩।

Image

 

ଷଷ୍ଠ ଛନ୍ଦ

 

ଚନ୍ଦ୍ରଶାଳା ପୁରେ ଯାଇ ପ୍ରବେଶିଲେ ଦୂତୀ ।

ଦେଖିଲେ କୃଷ୍ଣ ବିରହେ ବସିଛନ୍ତି ସତୀ ।୧।

କୃଷ୍ଣ ବର୍ଣ୍ଣ ପଦାର୍ଥରେ ବଳାଇ ମାନସ ।

କୃଷ୍ଣ ବିନା ବସନ ଭୁଷଣ ଲାଗେ ବିଷ ।୨।

କୃଷ୍ଣ ବର୍ଣ୍ଣ ପତ୍ରରେ ଯେ ଲଗାଇ ଅବିର ।

ରଙ୍ଗାଧର ବୋଲି ଚୁମ୍ବ ଦ୍ୟନ୍ତି ବାରମ୍ବାର ।୩।

ଆପଣାର ଚରଣରେ ଅଳତା ଲଗାଇ ।

ପଦ୍ମ ପୁଷ୍ପର ଉପରେ ପାଦ ଦ୍ୟନ୍ତି ନେଇ ।୪।

କୃଷ୍ଣ ପାଦ ପଦ୍ମ ବୋଲି କୁଣ୍ଢାଇ ଧରନ୍ତି ।

ଶରଣ ରଖ ବୋଲିଣ ଉତ୍କଣ୍ଠା ହୁଅନ୍ତି ।୫।

କେଳି କଦମ୍ବ ପତ୍ରରେ କୃଷ୍ଣ ନାମ ଲେଖି ।

ଏହି କୃଷ୍ଣ ବୋଲି ଚୁମ୍ବ ଦ୍ୟନ୍ତି ଚନ୍ଦ୍ରମୁଖୀ ।୬।

କେତେବେଳେ ନିଜ ବେନି ପାଦ ଦ୍ୟନ୍ତି ଛନ୍ଦି ।

ଏହି ଛନ୍ଦା ପାଦ ବୋଲି ଧରୁଥା’ନ୍ତି କାନ୍ଦି ।୭।

ନୀଳବର୍ଣ୍ଣ ଶାଢ଼ୀକି ଯେ ପିନ୍ଧି ହ୍ଵନ୍ତି ଭୋଳ ।

ଏହିବଂଶୀଧର ବୋଲି କରୁଥା’ନ୍ତି କୋଳ ।୮।

 

କୁମ୍ଭେ ଜଳ ଭରି କାଖେ ଧରନ୍ତି ଶ୍ରୀମତୀ ।

ଦେଖନ୍ତି କଦମ୍ବ ମୂଳେ ଉଭା ରାଧାପତି ।୯।

ତରତର ହୋଇ କାଖୁ କୁମ୍ଭ ଯାଏ ଖସି ।

ଭୂତଳେ ପଡ଼ନ୍ତେ ଦେଖି ରାଧା ହ୍ଵନ୍ତି ଖୁସି ।୧୦।

ଯଷ୍ଟି ଧରି ଦଧି ଭାଣ୍ଡ ଦିଅନ୍ତି ଫୁଟାଇ ।

ଜ୍ଵଳା ସଳଖରେ ତୁଣ୍ଡ ଦିଅନ୍ତି ପତାଇ ।୧୧।

କେତେବେଳେ କହନ୍ତି ଯେ ଧର ଧର ଚୋର ।

କେତେ ହାଣ୍ଡି ଭାଙ୍ଗିଲା ମୋ ଖାଇ କ୍ଷୀର ସର ।୧୨।

ପ୍ରେମ ଭାବେ ନିଜ କେଶ ମୁକୁଳିତ ଥାଇ ।

କୃଷ୍ଣ କେଶ ବୋଲି ଚୁମ୍ବ ଦ୍ୟନ୍ତି ମହାମାୟୀ ।୧୩।

କେତେବେଳେ ଶୁକ ପାଖେ କରନ୍ତି ଗମନ ।

ପଢ଼ରେ ତୁ ମୋ’ର ଶୁକ କି ଶିଖିଛୁ ନାମ ।୧୪।

ଶୁକ ଯଦି କୃଷ୍ଣ କୃଷ୍ଣ ଉଚ୍ଚରେ ପଢ଼ଇ ।

ଶୁକକୁ ଧରିଣ ଶିରୀ-ମତୀ ସ୍ନେହ ବହି ।୧୫।

ଶଯ୍ୟା ଭୂତଳେ ଶୁକକୁ ଧରିଣ ଶ୍ରୀମତୀ ।

ଏହି ସମୟରେ ଯାଇ ପ୍ରବେଶିଲେ ଦୂତୀ ।୧୬।

ରତ୍ନ ପଲଙ୍କରେ ଯା’କୁ ନିଦ୍ରା ନ ଆସଇ ।

ସେ ଏବେ ଧରଣୀ ପରେ ଛନ୍ତି ନିଦ୍ରା ଯାଇ ।୧୭।

 

କୃଷ୍ଣ ନାମ କର୍ଣ୍ଣମୂଳେ ଶୁଣାଇଲେ ଦୂତୀ ।

ମୃତ୍ୟୁ ସଞ୍ଜିବନୀ ଶୁଣି ଉଠିଲେ ଶ୍ରୀମତୀ ।୧୮।

ବେନିଭୁଜେ ଧରି ଦୂତୀ କୋଳରେ ବସାଇ ।

କହେ ଅଭିରାମ ଧନ୍ୟ ଧନ୍ୟ ଦୂତୀ ତୁହି ।୧୯।

Image

 

ସପ୍ତମ ଛାନ୍ଦ

 

କୋଳରେ ଧରିଣ ଶ୍ରୀମତୀଙ୍କି ଦୁତୀ

କହନ୍ତି ଗୋ ଚନ୍ଦ୍ରମୁଖୀ !

ବାଇ ପରି ତୁହି କିପାଁ ଅଛୁ ହୋଇ

ତୋ ଲାଗି ହେଲି ମୁଁ ଦୁଃଖୀ ଗୋ !

କହ ମନ କଥା ତୋ’ର,

ଆଣି ଦେବି ସତ୍ୟ ସତ୍ୟ ମୋ’ର ଗୋ ! ।୧।

 

ଶ୍ରୀମତୀ ଶ୍ରୀପତି ଅର୍ଥେ ସିନା ଦୂତୀ

ଜନମିଛି ମର୍ତ୍ତ୍ୟେ ଆସି

ରାଧା ଆନନ୍ଦରେ ମୋହର ଆନନ୍ଦ

କି କହିବି ମୁଁ ବିଶେଷି ଗୋ !

ମନୁ ଚିନ୍ତା କର ଦୂର,

ଦୂତୀ ପୁଚ୍ଛେ ଧରି ରାଧା କର ଗୋ ।୨।

 

ଆଉ ରହିବାକୁ ବେଳ ମୋତେ ନାହିଁ

ଚଞ୍ଚଳ କହ କିଶୋରୀ

କୋଟି ଇନ୍ଦୁଜିତ ଶ୍ରୀମୁଖ ଦର୍ଶନେ

ମତି ଚଞ୍ଚଳ ମୋହରି ଗୋ !

ଦୂତୀ ପ୍ରତି ଶିରୀମତୀ ;

ରାଧା ଧଇଯ୍ୟ ଧରି କହନ୍ତି ଗୋ ।୩।

 

ଶ୍ରୀରାଧା କହନ୍ତି ଏତେ ତର ତର

କିପାଁ ହେଉ ସହଚରୀ

କୋଟି ଇନ୍ଦୁଜିତ- ଶ୍ରୀମୁଖ କାହାର

କହ ମୋତେ ସହଚରୀ ଗୋ ।

ଏକ ଚନ୍ଦ୍ର ଏ ସଂସାରେ;

ଉଦେ ହୋଇ ତିମିରି ସଂହାରେ ଗୋ ।୪।

 

କୋଟି ଚନ୍ଦ୍ରଠାରୁ ବଳିଣ ଶ୍ରୀମୁଖ

କାହାର ଅଛି ଜଗତେ

କି ଇକ୍ଷୁ ରସ ସାର       ତୁ ଶୁଣାଇଲୁ

କହ ସହଚରୀ ମୋତେ ଗୋ !

ତାଙ୍କୁ ଦିଅ ମୋତେ ଆଣି,

ଦୂତୀ ତୋତେ ଏତିକି ମାଗୁଣି ଗୋ ! ।୫।

 

ଯାହା ମାଗିବି ମୁଁ ତାହା ଦେବୁ ବୋଲି

ସତ୍ୟ କରିଅଛୁ ଦୂତୀ ଗୋ !

କୋଟି ‘ଇନ୍ଦ୍ର ଜିତ- ଶ୍ରୀମୁଖ କାହାର

ଦେଖିବ, ମାଗେ ଶ୍ରୀମତି ଗୋ ।

ଚଞ୍ଚଳ ତୁ ଆଣିଦିଅ,

ନ ଦେଲେ ତୁ ସତ୍ୟଭଗ୍ନ ହୁଅ ଗୋ ।୬।

 

କହନ୍ତି ଦୂତିକା ଆଗୋ ଶ୍ରୀରାଧିକା

ଦଇବେ କରିଛି ସତ୍ୟ ଗୋ ।

ସତ୍ୟଭଗ୍ନ ଆଉ ନୋହିବ ଗୋ ରାଧେ !

ତ୍ରିବାର କରିଛି ସତ୍ୟ ଗୋ ।

ଯାହା ମାଗିଲ ଶ୍ରୀମତୀ,

ଶ୍ରୀମତୀକି ଦେବି ଶିରୀପତି ଗୋ ।୭।

 

କିଶୋରଙ୍କୁ ଆଣି କିଶୋରୀଙ୍କି ଦେଲେ

ମୋର କି ଲାଭ ହୋଇବ

ରାଧା ମନସ୍କାମ ଦୂତୀ ପୂରାଇଲେ

ଦୂତୀକି କିସ ମିଳିବ ଗୋ ।

କହ ଚନ୍ଦ୍ରମା-ବଦନୀ !

କିଛି ନ କହି ହୋଇଲ ତୁନି ଗୋ ।୮।

 

କହନ୍ତି ଶ୍ରୀରାଧା ମାଧବଙ୍କୁ ଆଣି

ଦେବୁ ଯଦି ମୋତେ ଦୂତୀ ଗୋ ।

ତୋହର ଋଣ ମୁଁ ଶୁଝି ନ ପାରିବି

କି ଅବା ଦେବ ଶ୍ରୀମତୀ ଗୋ !

ଯାହା ମାଗ ସହଚରୀ

ଦେବି କହୁଅଛି ସତ୍ୟ କରି ଗୋ ! ।୯।

ଦୂତୀ କରକର ହୋଇ ମାଗେ ବର

ଧନ ଜନ ନ ମାଗଇ

ଶ୍ରମତୀ ଶ୍ରୀପତି ଯୁଗଳ ମୂରତି

ନେତ୍ରେ ମୋ’ର ଥିବ ରହି ଗୋ ।

ଜନ୍ମେ ଜନ୍ମେ ଭେଟ କାରୀ,

ଦୂତୀ ହୋଇଣ ଥାଉ ତୁମ୍ଭରି ଗୋ ।୧୦।

ଶ୍ରୀମତୀ ଶ୍ରୀପତି ତୃତୀୟରେ ଦୂତୀ

ନ କରିବ ଭିନ୍ନାଭିନ୍ନ ଗୋ ।

ଏହି ବର ଯୋଗେ ଶ୍ରୀରାଧା ଚରଣେ

କରୁଅଛି ନିବେଦନ ଗୋ ।

ଦେଲେ ଏହି ବର ଦିଅ,

ଅନ୍ୟ ବରେ ନାହିଁ ମୋର ପ୍ରିୟ ଗୋ ।୧୧।

ଶ୍ରୀରାଧା କହନ୍ତି ଅସ୍ତୁ ଅସ୍ତୁ ଦୂତୀ !

ପୂରୁ ତୋ’ର ମନସ୍କାମ

ମୋ’ର ମନସ୍କାମ ଦୂତୀ ପୂରାଇବୁ

ଦତ୍ତ କରି ଦୁଃଖୀଶ୍ୟାମ ଗୋ

କହେ ଅବିରାମ ବାଇ,

ଜୀବ-ପରମ ମିଳନ ଏହି ଗୋ ।୧୨।

Image

 

ଅଷ୍ଟମ ଛାନ୍ଦ

 

ଜୀବ ପ୍ରେମ ହଂସ ମିଳନ

ଏହି ଜାଣିବେ ବୁଧ ।

ଭକତ ମାନଙ୍କୁ ତୋଷିବ

ଅଜ୍ଞ ଏଥିକି ଅନ୍ଧ ।୧।

ଏକବିଂଶ ସସ୍ର ଷଟଶ’

ଯେଉଁ ସ୍ଥାନେ ସ୍ଥକିତ ।

କିଶୋର କିଶୋରୀ ଯୁଗଳ

ଆହେ ସର୍ବ ଭକତ ।୨।

ଶ୍ରୀମତୀ କୁଞ୍ଜ ଗୋଟି ଯେହି

ସେ ସ୍ଥାନ ଅଟେ ଶ୍ରେଷ୍ଠ ।

ଶ୍ରୀମତୀ ଶ୍ରୀପତି କୁଞ୍ଜରେ

ସିନା ହୋଇବେ ଭେଟ ।୩।

ସଖା ସଖିମାନେ ନ ଥାଉଁ

ଦୂତୀ କରିବ ମେଳ ।

ଦୁଇ ନୟନର ମଧ୍ୟରେ

ରାଧା କୃଷ୍ଣ ଯୁଗଳ ।୪।

ଧ୍ୟାନ ନିଶ୍ଚଳରେ ରହିଲେ

ଥୟ ହେବ ସମୀର ।

ସମୀରରେ ମନ ରହଇ

ମନେ ଇନ୍ଦ୍ରିୟ ସ୍ଥିର ।୫।

ଇନ୍ଦ୍ରିୟ ଯେଣୁ ଥୟ ହେଲେ

ଶାନ୍ତ ହେଲେ ପ୍ରକୃତି ।

ଏ ସୂତ୍ରେ ଶ୍ରୀମତୀ ଶ୍ରୀପତି

ଭେଟ କରିବ ଦୂତୀ ।୬।

ଦୂତିକା ଅଟଇ ଚେତନ

ନେତ୍ର କରେ ନିଶ୍ଚଳ ।

ଚେତାଟି ହ’କାର ସ’କାର

ଦୁଇ କରିବ ମେଳ ।୭।

ଶ୍ରୀରାଧା ଅଧର ସୁଧାକୁ

ପାନ କରିବେ ହରି ।

କିଶୋର ଅଧର ସୁଧାକୁ

ଭୁଞ୍ଜୁଥିବେ କିଶୋରୀ ।୮।

 

 

ଯେ ଗୁରୁ ସେବିଛି ସେ ଜାଣେ

ରାଧାକୃଷ୍ଣ ମିଳନ ।

କହେ ଅଭିରାମ ଲଜ୍ଜାରେ

ପଳାଇଲା ମଦନ ।୯।

Image

 

ନବମ ଛାନ୍ଦ

 

ଶୁଭେ ବର ପାଇ ଦୂତୀ କହନ୍ତି ଆଗୋ ଶ୍ରୀମତୀ

ଏ ସ୍ଥୂଳ ନୟନ ମୋ’ର ହେବ ପବିତ୍ର ।

ଆସ ଗୋ ଶ୍ରୀମତୀ ଆସ କୁଞ୍ଜେ ହୋଇବା ପ୍ରବେଶ

ତୋତେ ଚାହିଁ ବସିଛନ୍ତି ରାଜୀବ-ନେତ୍ର ।

ଶ୍ରୀମତୀର ପାଣିକି ଧରି,

ପରିହାସେ କହେ ଦୂତୀ ଗୋ ମନ୍ଦୋଦରୀ ! ।୧।

 

ଶୁକ ଶାରୀ ବେନି ଧରି ପିଞ୍ଜରିରେ ଦେବି ଭରି

ଆଧାର ଦେବି ଅଧରେ ଅଧର ପାନ ।

ଶୁକ ଶାରୀ ହେବେ ଏକ ଦେଖିବେ ନେତ୍ର ଯୋଡ଼ିକ

କିପରି ଲଜ୍ମା ପାଇବ ଆଜି ମଦନ ।

ପରିହାସେ ଶ୍ରୀମତୀ ପାଣି,

ଧରି ଶ୍ରୀମତୀ କୁଞ୍ଜକୁ ନିଅଇ ଟାଣି ।୨।

 

ପ୍ରେମେ ଗଦ ଗଦ ହୋଇ ଶ୍ରୀମତୀ କୁଞ୍ଜ ସଜାଇ

ଦୂତୀ କୁଞ୍ଜ ସାଜୁ ସାଜୁ ପ୍ରଦୋଷ ଶେଷ ।

ଅତି ଯତ୍ନେ ସହଚରୀ କୁସୁମ ବିଛଣା କରି

କୁଞ୍ଜ ସଜ୍ଜା ଶେଷେ ନକ୍ତ ହେଲା ପ୍ରବେଶ ।

ଏ ସମୟେ ଚାତକ ଦୂତୀ,

ସଙ୍କେତ ସତ୍ୟରେ ନବଘନ ମୂରତି ।୩।

 

ପ୍ରବୋଧି କହନ୍ତି ଦୂତୀ ଶୁଣ ଗୋ ମାତ ଶ୍ରୀମତୀ

ଏ କ୍ଷଣି ପ୍ରବେଶ ହେବେ ବରଜ-ବନ୍ଧୁ ।

ଶ୍ରୀମତୀ କୁଞ୍ଜ ତିମରି ପରାୟେ ରହିଛି ଘେରି

ନକ୍ତରେ ଉଦୟ ହେବେ କୋଟିଏ ଇନ୍ଦୁ ।

କହଇ ଅଭିରାମ ବାଇ,

ଚନ୍ଦ୍ର ଉଦେ ହୋଇଲେ କି ଅନ୍ଧାର ଥାଇ ।୪।

Image

 

ଦଶମ ଛାନ୍ଦ

 

ନକ୍ତ କାଳ ଆସି ହୋଇଲା ପ୍ରବେଶ

ବୁଧ ଜନେ ହେଜି ଏହି ରସେ ରସ ।୧।

କୃଷ୍ଣ ବିଳମ୍ବ ଦେଖିଣ ସହଚରୀ

କାୟ ମନ ବାକ୍ୟେ ଦୂତୀ ସ୍ତୁତି କରି ।୨।

ଆହେ ମୁରଲୀ-ବଦନ ବ୍ରଜବନ୍ଧୁ

ଯା’ର ଶ୍ରୀମୁଖ ନିନ୍ଦଇ କୋଟି ଇନ୍ଦୁ ।୩।

ଆହେ ଗୋକୁଳ-ଚନ୍ଦ୍ରମା ଜଗଦୀଶ !

କେକୀ ପୁଚ୍ଛକ-ମଣ୍ଡନ ପୀତବାସ ।୪।

ଅନ୍ତର୍ଯ୍ୟାମୀ ସର୍ବଜନ ମନ ଜାଣ ।

ସଂକେତ କୁଞ୍ଜେ ବିଳମ୍ବ କି କାରଣ ।୫।

ସତ୍ୟନାରାୟଣ ତୁମ୍ଭେ ସତ୍ୟ ରଖ ।

ହଂସ ମିଳନେ ଦୂତୀର ଯିବ ଦୁଃଖ ।୬।

ଦୂତୀ ଏପରି ଭାବନା କରୁ କରୁ ।

ଆସି ପ୍ରବେଶ ହୋଇଲେ ମହାମେରୁ ।୭।

ଅନ୍ଧକାରେ ରହିଥିଲା କୁଞ୍ଜବନ ।

ଆସି ପ୍ରବେଶ ହେଲା କି ପୂର୍ଣ୍ଣ ଜହ୍ନ ।୮।

 

 

ଦୂତୀ ଦେଖେ ଏ ନିଶ୍ଚୟ ବେଣୁପାଣି ।

ଶ୍ରୀମତୀ ଗୋ ପୂର୍ଣ୍ଣଚନ୍ଦ୍ର ଉଇଁଲେଣି ।୯।

କହେ ଅଭିରାମ ବାଇ ନୀର କ୍ଷୀର ।

ଦୂତୀ ମିଶାଇବ ଶ୍ରୀମତୀ କୁଞ୍ଜର ।୧୦।

ମୀନ ବଡ଼ଶୀ ଥୋପ ଯେଉଁପରି ଗତି ।

ସେହିପରି ସିନା ଶ୍ରୀମତୀ ଶ୍ରୀପତି ।୧୧।

ବଡ଼ଶୀ ଥୋପ ହୋଇଲା ରାଧା ପ୍ରେମ ।

ଆପ ଭକ୍ଷଣେ ଆତୁର ଘନଶ୍ୟାମ ।୧୨।

ରାଧାପ୍ରେମ ଭାବ ସିନା କୃଷ୍ଣ ଗ୍ରାହୀ ।

ଲକ୍ଷ୍ୟ ଦେବାକୁ ସଂସାରେ କିଛି ନାହିଁ ।୧୩।

କୃଷ୍ଣ ପ୍ରେମର ବିକୃତ ଆହ୍ଳାଦିନୀ ।

ଶକ୍ତି ହୋଇଣ ଅଛନ୍ତି ସିନା ଧନି ।୧୪।

ଏହିପରି ରାଧାକୃଷ୍ଣ ସିନା ଏକ ।

ଅନାଦି କାଳୁ ଅଛନ୍ତି ବହି ସୁଖ ।୧୫।

ଶ୍ରୀମତୀ କୁଞ୍ଜେ ଶ୍ରୀମତୀ ପୁଷ୍ପେ ଥାଇଁ ।

ବ୍ରଜସୁନ୍ଦରଙ୍କୁ ନେତ୍ରେ ଦେଲେ ଚାହିଁ ।୧୬।

ନେତ୍ରେ ନେତ୍ରେ ପ୍ରେମ ଭାବ ଉଚ୍ଛୁଳିଲା ।

ଯେହ୍ନେ ଲୁହାକୁ ଚୁମ୍ବକ ଟାଣି ନେଲା ।୧୭।

ରାଧା ପ୍ରେମ ଭାବ ହୋଇଲା ଚୁମ୍ବକ ।

ଅନୁଭବୀ ବୁଧେ ବସି କର ଲକ୍ଷ୍ୟ ।୧୮।

କିସ ଲକ୍ଷ୍ୟ ଦେବି ସଂସାରେ ତ ନାହିଁ

ଶମ୍ବରାରି ପଳାଇଲା ଲଜ୍ଜା ପାଇ ।୧୯।

କୁଞ୍ଜେ ଭେଟାଇଣ ଶ୍ରୀମତୀ ଶ୍ରୀପତି ।

ପ୍ରେମାନନ୍ଦ ସ୍ରୋତେ ଭାସିଗଲା ଦୂତୀ ।୨୦।

ହଂସ ମିଳନ ଧବଳ ଚିତା ସ୍ଥାନ ।

କହେ ଅଭିରାମ ତ୍ରିଭୁବନ ଶୂନ୍ୟ ।୨୧।

Image

 

ଏକାଦଶ ଛାନ୍ଦ

 

ଏ ହଂସ ମିଳନ ବୁଧଙ୍କର ମନ

ନିଶ୍ଚୟ ହୋଇବ ମୁଗ୍ଧ ।

ପ୍ରେମ ଭାବ ଛାଡ଼ି କାମ ଭାବେ ଗଲେ

ଅଜ୍ଞ ହେବେ ଏଥେ ଅନ୍ଧ ।୧।

ଆଧାର ଯେ ସ୍ଵଧି- ଷ୍ଠାନ ମଣିପୁର

ଅନାହାତ ବିଶୁଦ୍ଧରେ ।

ଶ୍ରୀରାଧା ମାଧବ ମିଳନ ହୋଇଲେ

ଅଜ୍ଞ ଚକ୍ରର ଉପରେ ।୨।

ପରମ ହ’କାର ଜୀବଟି ସ’କାର

ଚେତନା ହୋଇଲା ଦୂତୀ ।

ଶ୍ରୀମତୀ କୁଞ୍ଜଟି ଯାହାକୁ ବୋଲନ୍ତି

ବେନି ନେତ୍ର ମଧ୍ୟେ ସ୍ଥିତି ।୩।

ଅଧଃ ଊର୍ଦ୍ଧ୍ଵ ମଧ୍ୟ ତ୍ରି-ତତ୍ତ୍ଵ ସୂତ୍ରେଣ

ଚେତା ଭେଟ କରାଇଲା ।

ଯୋଗ ଭୋଗ ବେଳ ବାରି ସହଚରୀ

ପ୍ରେମ ନଦୀରେ ଭାସିଲା ।୪।

 

ଶ୍ରୀରାଧା ମାଧବ ଯୁଗଳ ସମୟେ

ତ୍ରିଭୁବନ ହେଲା ଶୂନ୍ୟ ।

ଏକ ବ୍ରହ୍ମ ସିନା ଦୁଇ ହୋଇଥିଲେ

ଏକାଙ୍ଗେ ଦିଶେ ଶୋଭନ ।୫।

 

ଏହି ଭାବେ ଭବି ସର୍ବ ବୁଧ ଜନେ

ଜୀବ ପରମ ମିଳାଅ ।

ପଙ୍କଜ ଯେପରି ପଙ୍କରେ ରହିଣ

ହୋଇଥାଇ ଶୁଦ୍ଧ ଦେହ ।୬।

 

ଦୂତିକା ଭାବରୁ ଶ୍ରେଷ୍ଠ ଭାବ ଆଉ

ଖୋଜିଲେ ସଂସାରେ ନାହିଁ ।

ଶ୍ରୀମତୀ ଶ୍ରୀପତି ଯୁଗଳ ମୂରତି

ଦୂତୀ ସିନା ଦେଖି ଥାଇ ।୭।

 

ତତ୍ତ୍ଵ ପାଇଲେ ଅନ୍ଧକାର ତୁଟିବ

ସଂସାର ହୋଇବ କାହିଁ ।

ଯୋଗୀମାନେ ବସି ଯୋଗି ସାଧୁଛନ୍ତି

କୋଟି କଳ୍ପେ ଭେଟ ନାହିଁ ।୮।

 

ସର୍ବ ଭକ୍ତେ ହେଜି ଦୂତୀ ଭାବେ ଭଜି

ଅଳପ ସୂକ୍ଷ୍ମରେ ପାଅ ।

କହେ ଅଭିରାମ ସର୍ବ ଘଟେ ଘଟେ

ରହିଛନ୍ତି ଦୟାମୟ ।୯।

Image

 

ଦ୍ଵାଦଶ ଛାନ୍ଦ

 

ଆହେ ଶ୍ରୀହରି ଭକତେ ହେ ହଜିଥିଲା ମୋ’ର ହଂସ ।

ଦେଖିଲା ବେଳକୁ ସକଳ ଘଟରେ ହଂସ କରିଅଛି ବାସ ।।ପଦ।।

 

ଏକ ଦଣ୍ଡକରେ ତିନିଶ ଷାଠିଏ

ପହଣ୍ଡ ଚାଲେ ମୋ ହଂସ ।

ବାମେ ସିନା ହଂସ ଡାହାଣେ ସୋଽହଂରେ

ଓଲଟି ହୁଏ ସନ୍ତୋଷ ।୧।

 

ମୁନିଜନ ମନ- ସରୋବରେ ହଂସ

ସଦା କରିଅଛି ଆଶ ।

ହଂସ ବେନିକ୍ଷର ଏକ ହୋଇବାରୁ

ଚତୁର୍ଦ୍ଧା ମୂର୍ତ୍ତି ପ୍ରକାଶ ।୨।

 

ଜୀବର ଅଙ୍ଗରେ ଚେତନା ଆସିଲେ

ମିଳିବ ସକଳ ରସ ।

ଦୂତୀ ସହଚରୀ ନ ଆସିବା ଯାଏଁ

ଜୀବର ଥାଏ ବିଭସ ।୩।

 

ଦୂତୀ ଖୋଜି ଆଣି       ହଂସକୁ ମୋ’ ଦେଲା

ଦେଖିଲି ଯୁଗଳ ରାସ ।

ଅଭିରାମ ବାଇ କହେ ଦୂତୀ ମୁହିଁ

ଦୟା କଲେ ଲକ୍ଷ୍ମୀ ଈଶ ।୪।

Image

 

ପାଷଣ୍ଡ ଦଳନ

 

କାହିଁପାଇଁ ମନ ହୋଇଥିଲୁ ଜନ୍ମ

କହ କି କରିଛୁ ଭାଇ ?

ସବୁବେଳେ ତୋ’ର ସଂସାର ବେପାର

ହୃଦରୁ ଛାଡ଼ିଲା ନାହିଁ ।୧।

କେ’ବା ତୋତେ ଏଥି ସଂସାରୀ କରିଛି

କିଏ ତୋ ପିଣ୍ଡ କରତା ।

ଏତେ ଦିନ ଏବେ ବହି ଯେ ଗଲାଣି

ନ କରିଲୁ ପ୍ରଭୁ ଚିନ୍ତା ।୨।

ମାତା ଗର୍ଭେ ତୁହି କୃମି ପ୍ରାୟ ହୋଇ

ଥିଲୁ ଯେ କାଳରେ ଭାଇ ।

କେଉଁ କାରୀଗର ଏ କାୟା ତୋହର

ସେଠାରେ ଗଢ଼ିଲା ଯାଇଁ ।୩।

ଦଶ ମାସ ଦଶ ଦିବସ ତହିଁରେ

ଯେ କଷ୍ଟ ପାଇଛୁ ତୁହି ।

ତାହା ତୋ ସ୍ମରଣ ଥିଲେ ରେ ସୁମନ !

ଏ ଘରୁ ଯାନ୍ତୁ ପଳାଇ ।୪।

 

କିଏ ତୋତେ ତହୁଁ ଉଦ୍ଧାର କରିଲା

ଏହା ବିଚାର ନ କରୁ ।

ଅଜ୍ଞାନ ମତରେ କିଛି କାଳ ତୋ’ର

ମର୍ତ୍ତ୍ୟ ମଣ୍ଡଳେ କାଟିଲୁ ।୫।

 

ଦ୍ଵିତୀୟରେ ପୁଣି ବାଳକ ମତରେ

ବାଳକ୍ରୀଡ଼ା ଯାହା କଲୁ ।

ତୃତୀୟରେ ତୁହି ଯୌବନ ମଦରେ

ପାପ ପୁଣ୍ୟ ନ ଜାଣିଲୁ ।୬।

 

ଦିବା ନିଶି ସ୍ତିରୀ ବଶରେ ରହିଲୁ

ସ୍ଵଇଚ୍ଛାରେ ତୋ’ର ତୁହି ।

କାଳ ସର୍ପ ଆଣି ଗଳାରେ ବାନ୍ଧିଲୁ

କିପାଇଁ ମରିବୁ ନାହିଁ ? ।୭।

 

ଯେ କଷଣମାନ ପାଉଅଛୁ ମନ

ତା ସବୁ ପଛେ ପକାଉ ।

କିଞ୍ଚିତରେ ସୁଖ ପାଇଁ ମନ ମୂର୍ଖ

ମନେ ମନେ ଇନ୍ଦ୍ର ହେଉ ।୮।

 

ପୁତ୍ର ବନିତାଙ୍କ ସ୍ନେହକୁ ଆବୋରି

ମାୟାରେ ବାୟା ହୋଇଣ ।

ଅନୁକ୍ଷଣେ ତୋ’ର ଲାଗେ ଏ ବିଚାର

କିପରି ଅର୍ଜ୍ଜିବି ଧନ ।୯।

ପ୍ରାସାଦ ପ୍ରୋତ ମନ୍ଦିରାଦି ତୋଳାଇ

ହୋଇବି କେମନ୍ତେ ଧନୀ ।

ଲୋକେ ଦେଖି ମୋତେ ପ୍ରଶଂସା କରିବେ

କରିବି ମୁଁ ମହାଜନି ।୧୦।

ଏହି ଭାବନା ଦିବା ନିଶି କେବଳେ

ହେଉଛି ମନରେ ତୋ’ର

ମନେ ତୁ ନ କରୁ ଦିନେ ନିଶ୍ଚେ ମୋତେ

ଯିବାକୁ ହେବ ସେଠାର ।୧୧।

ଯେ କାଳରେ ତୁହି ନିର୍କ କୁଣ୍ଡେ ରହି

ମୀନ ପ୍ରାୟେ ଭୋଗୁଥିଲୁ ।

ସେ କାଳେ କି ଧନ ପାଇଁ ରେ ତୁ ମନ

କାହାକୁ କି ମାଗୁଥିଲୁ ? ।୧୨।

କାହିଁ ଥିଲେ ତୋ’ର ସୁତ ସହୋଦର

କୁଟୁମ୍ବାଦି ବନ୍ଧୁବର୍ଗ ।

ଏକା ଆସିଅଛୁ ଏକା ସିନା ଯିବୁ

କେହି ନ ଯିବେ ତୋ ସଙ୍ଗ ।୧୩।

ପ୍ରାସାଦ ପ୍ରୋଢ଼ ମନ୍ଦିର କେଣେ ଯିବ

ତୁହି ପୁଣି ଯିବୁ କେଣେ ।

ଏହି ଠାରେ ସର୍ବ ସଙ୍ଗ, ରେ ସୁମନ

କେହି ତ ନ ଯିବେ ଜଣେ ।୧୪।

ସତ ମିଛ କରି ଯାହା ଅରଜିଛୁ

ତାହା କି ତୁ ନେବୁ ବହି ।

ତୋହରି ଆଗରେ ଗଲେ ଯେତେ ଲୋକ

ଦେଖିଛୁ କି ନେଲେ ସେହି ।୧୫।

ମହାଜନି ତୋର ହେବ ନାରଖାର

ଧନ ରହିଥିବ ପୂରି ।

କେହି ତ ସେ କାଳେ ରଖି ନ ପାରିବେ

ବସିଥିବେ ସର୍ବେ ଘେରି ।୧୬।

ଯେ କାଳେ ଅନଳ ହୋଇବ ପ୍ରବଳ

ଶିଖା ଉଠିବ ଊର୍ଦ୍ଧ୍ଵକୁ ।

ସେ କାଳ ଆକୁଳ ପଡ଼ଲେ ମନରେ

ଉଲ୍ଲସି ଉଠିବ ବୁକୁ ।୧୭।

ସ୍ଵର୍ଗ ମର୍ତ୍ତ୍ୟ ଆଦି ସପତ ପାତାଳ

କାହିଁ ତୋ ବାସ ନୋହିବ ।

ଚନ୍ଦନ କର୍ପୂର ବୋଳିଲେ ଅଙ୍ଗରେ

ସେ କି ଶୀତଳ ଲାଗିବ ? ।୧୮।

ଆଶ୍ଵାସ ବଚନ ବିଞ୍ଚଣା ପବନ

ତାହ ହିଁ ରୁଚିବ ନାହିଁ ।

ଅଳ୍ପ ଅଳ୍ପ ଶିଖା ନିଊନ ହୁଅନ୍ତେ

ତୋଫାନ ଆସିବ ଧାଇଁ ।୧୯।

ବତାସ ଘାତେ କୂଳ ଲଙ୍ଘି ସାଗର

ଲହରୀମାନ ଉଠିବ ।

ସେକ ସେକ ବୋଲି ଡକା ପକାଇଲେ

ସେକା କି ସେହୁ ମାନିବ ? ।୨୦।

ଷଡ଼ ବନ୍ଧ ତୋ’ର ନିମିଷେ ଭାଙ୍ଗିବ

ଲହରୀର ଘାତ ପାଇ ।

ବନ୍ଧ ଭାଙ୍ଗି ଗଲେ ନୀର ବହିଯିବ

ମୀନ ତୁ ରହିବୁ କାହିଁ ? ।୨୧।

ବସିଥିବେ ଘେରି ନ ପାରିବେ ଧରି

ଧରି ଘେନିଯିବ କାଳ ।

ସେ କାଳେରେ ଭାଇ ରହିବ ନାହିଁ ତୋ

ଏ ମହାଜନିଆ ବଳ ।୨୨।

ପୁତ୍ର ବନିତା ଆଦି କରି ସହିତେ

କୋଡ଼ି କଚାଡ଼ି ହୋଇବେ ।

ଘଡ଼ି ଦୁଇ ଚାରି ଡେରି ହୋଇଗଲେ

‘କାଢ଼’ କାଢ଼’ ହୁରି ଦେବେ ।୨୩।

ମଡ଼ା ବୋଲି ତୋ’ର ପିଣ୍ଡକୁ ଯେ ଡର

ଭାର୍ଯ୍ୟା ସୁତଙ୍କୁ ଲାଗିବ ।

ମୁଖ ତୋ ନ ଚାହିଁ କନା ଖଣ୍ଡେ ନେଇ

କେହି ବା ଘୋଡ଼ାଇ ଦେବ ।୨୪।

ଚନ୍ଦନ ଅତର ଆନନ୍ଦେ ତୋହର

ଯେ ଅଙ୍ଗେ ବୋଳୁଛୁ, ଭାଇ !

ସେହି ପିଣ୍ଡୁ ପୁଣି ଦୁର୍ଗନ୍ଧ ଉଠିବ

କେହିତ ଛୁଇଁବେ ନାହିଁ ।୨୫।

ପ୍ରାଣର ବାନ୍ଧବୀ ଯାହାକୁ ବୋଲୁଛୁ

ସେ ପୁଣି ଆଡ଼େଇ ଯିବ ।

ଲୋକ ଜାଣିବାକୁ ଦିନ ଦିନ କର

ଗୁଣ ବାହୁନି କାନ୍ଦିବ ।୨୬।

ମୁଁ ସୁନ୍ଦର ବୋଲି ଗର୍ବ ହେଉଥିଲୁ

ବହି କରି ତୋତେ ନେବେ ।

ଶ୍ମଶାନ ଭୂମିକି ନେଇ ଚାରି ପାଞ୍ଚ

ପୋତି ଦେବେ ବା ପୋଡ଼ିବେ ।୨୭।

ଯେଉଁ ମୁଖେ ତୁହି ଚୁମ୍ବନ ଦେଉଛୁ

ସୁସ୍ନେହେ ପୁତ୍ର ମୁଖରେ ।

ସେହି ପୁତ୍ର ତୋ’ର ଏହି ମୁଖେ ନେଇ

ଅଗ୍ନି ଲଗାଇବ ଥରେ ।୨୮।

ଚାହୁଁ ଚାହୁଁ ସେହି- କ୍ଷଣି ଏ ଶରୀର

ଭସ୍ମ ହୋଇ କେଣେ ଯିବ ।

ମନେ କରିଛୁ କି ସର୍ବଦା ତୋହର

ଏହି ଘଟେ ବାସ ଥିବ ? ।୨୯।

ରହିନାହିଁ କେହି ନ ରହିବେ କେହି

ଭାଇ ଏ ରଙ୍ଗ ଭୂମିରେ ।

କାଲି ପ୍ରାୟେ ତୋ’ର ପଛେ ପଛେ ଅଛି

ଦିନ ଗଣୁଛି ଭାଇରେ ।୩୦।

ସନ୍ଧ୍ୟା ହେଲେ ଯେହ୍ନେ ହାଟ ଭାଙ୍ଗିଯାଏ

ଯେ ଯାହା ପୁରକୁ ଯାଇ ।

ସେହି ପ୍ରାୟେ ତୁହି ପଥରେ ପଥିକ

ଆସିଛୁ ସଉଦା ପାଇଁ ।୩୧।

ଭଲ ମନ୍ଦ ଦୁଇ ସଉଦା ଏଠାରେ

ବିକ୍ରୟ ହେଉଛି ଜାଣ ।

ଯେ ଯାହା ଲୋଡ଼ଇ ସେ ତାହା ପାଅଇ

ଏହା ବିଧିର ବିଧାନ ।୩୨।

ଏ ଦୁଇ ପଦାର୍ଥ ଯାହା ତୁ କିଣିବୁ

ତାହା ଆନନ୍ଦେ ଭୋଗିବୁ ।

ବାଟ ବସାଘର ଏ ନୁହେଁ ତୋହର

ନିଜ ଘରେ ଦିନେ ଯିବୁ ।୩୩।

ବାଲିବନ୍ଧେ ଘର ଅଟେ ଏ ତୋହର

ନ ମଣ ଚିର ଏହାକୁ ।

ଏକା ଢେଉକରେ ଭାଙ୍ଗିଯିବ ତୋ’ର

ଫୁଲାଇ ଚାଲିବା ବୁକୁ ।୩୪।

ପାଷଣ୍ଡକୁ ସିନା କହିବା ଉଚିତ

ଜ୍ଞାନିଙ୍କି କହି ନୁହଁଇ ।

କହୁଛନ୍ତି ନାରା- ୟଣ ମନୁଆଁକୁ

ବେଳୁ ଭଜ ଭାବଗ୍ରାହୀ ।୩୫।

Image